ଲହୁଣିପଡ଼ା/କୋଇଡ଼ା ୦୪/୧୨:  ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଟକରା ରେଙ୍ଗାଲାବେଢ଼ା ଗ୍ରାମ ନିବାସୀ ଜୋହାନ କାଣ୍ଡୁଲାନା (୬୦) ଦୀର୍ଘ ଦୁଇମାସ ଧରି ଏକ କଲଭର୍ଟ ତଳେ ରହିଥିଲେ । ତାଙ୍କୁ ସୋମବାର ବିଳମ୍ବିତ ରାତିରେ ଟେନ୍‌ସା ଫାଣ୍ଡି ପୁଲିସ୍‌ ଉଦ୍ଧାର କରିଛି । ପରିବାର ଲୋକଙ୍କ ଗାଳି ସହି ନପାରି ସେ ଘରୁ ପଳାଇ ଆସିଥିବା ପୁଲିସ୍‌କୁ କହିଛନ୍ତି । ଜୋହାନଙ୍କ ୨ ପୁଅ ଓ ୨ ଝିଅ । ଝିଅମାନେ ବିବାହ କରିସାରିଛନ୍ତି । ୧୦ ବର୍ଷ ପୂର୍ବେ ପତ୍ନୀଙ୍କ ପରଲୋକ ଘଟିଛି । ପତ୍ନୀଙ୍କ ମୃତ୍ୟୁ ପରେ ପୁଅମାନଙ୍କ ସହ ଜୋହାନ ଏଲାବେକା ଗ୍ରାମରେ ରହୁଥିବା ଭଉଣୀ ରାହିଲ ଓ ଭିଣୋଇ ଷ୍ଟିଫେନ ହରୋଙ୍କ ଘରକୁ ଚାଲି ଆସିଥିଲେ । ଗୁଜୁରାଣ ମେଣ୍ଟାଇବାକୁ ଜୋହାନ୍‌ ଟେନ୍‌ସାରେ ରହି ଛୋଟମୋଟ ମୂଲ ମଜୁରି କାମ କରୁଥିଲେ । ଗତ ମେ’ ମାସରେ ଘରକୁ ଆସିଥିଲେ ଓ ଗୋଟିଏ ଦିନ ରହି ପଳାଇ ଥିଲେ । ଆଉ ଘରକୁ ଆସିନଥିଲେ ।

୨ ମାସ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ହେଲେ କାମ କରୁଥିବା ସ୍ଥାନରେ ତାଙ୍କର ପତ୍ତା ମିଳିନଥିଲା । ପୁଲିସକୁ ନଜଣାଇ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ । ସୋମବାର ଟେନ୍‌ସାର ତାଳଡ଼ିହି ଲୌହଖଣି ସମ୍ମୁଖରେ ସିଆଇଟିୟୁ ପକ୍ଷରୁ ଆନ୍ଦୋଳନ ଚାଲିଥିବା ବେଳେ କିଛି କର୍ମୀ ଟେନ୍‌ସା-ବାରସୁଆଁ ରାସ୍ତା ମଝିରେ ଥିବା କଲଭର୍ଟ ଆଡ଼କୁ ଆସିଥିଲେ । କଲଭର୍ଟ ତଳେ ଜଣେ ବ୍ୟକ୍ତି ଅସହାୟ ଅବସ୍ଥାରେ ବସିଥିବା ଦେଖିଥିଲେ । ଜୋହାନଙ୍କୁ ଏବିଷୟରେ ପଚାରିଥିଲେ ବି ସେ କିଛି ଉତ୍ତର ଦେଇନଥିଲେ । ତାଙ୍କୁ କର୍ମୀମାନେ ଏକ କମ୍ବଳ ଓ କିଛି ଖାଦ୍ୟ ଦେଇ ପଳାଇଥିଲେ । ଏ ନେଇ ଟେନ୍‌ସା ପୁଲିସ୍‌କୁ ସୂଚନା ଦିଆଯାଇଥିଲା । ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ପୁଲିସ୍‌ ସେହି କଲଭର୍ଟରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ତାଙ୍କର ପରିଚୟ ପଚାରି ଥିଲା । ନିଜର ନାମ ଜୋହାନ କହିବା ସହ ସେ ରେଙ୍ଗାଲବେଢା ଗ୍ରାମର ବୋଲି କହିଥିଲେ । 

ପୁଲିସ୍‌ ତାଙ୍କୁ ଉଦ୍ଧାର କରି କେବେ ଠାରୁ ଏଠାରେ ରହୁଛ ବୋଲି ପଚାରିଥିଲା । ୨ ମାସ ହେଲା ଏହି କଲଭର୍ଟ ତଳେ ରହୁଥିବା ସେ କହିବା ସହ ଘରେ ଗାଳି ଦେବାରୁ ସେ ପଳାଇ ଆସିଥିବା କହିଥିଲେ । ସକାଳେ କଲଭର୍ଟରୁ ବାହାରି ରାସ୍ତାରେ ଯାଉଥିବା ଟ୍ରକ୍‌ ଚାଳକମାନଙ୍କୁ ଖାଇବାକୁ ମାଗୁଥିଲେ । ଯିଏ ଯାହା ଦେଉଥିଲା ତାକୁ ଖାଇ ପୁଣି କଲଭର୍ଟ ଭିତରକୁ ଚାଲି ଯାଉଥିଲେ । ମଙ୍ଗଳବାର ସକାଳେ ପୁଲିସ୍‌ ତାଙ୍କୁ ନେଇ ଗାଁ ପାଖରେ ଛାଡ଼ିଥିଲା । ହେଲେ ବର୍ତ୍ତମାନ ଯାଏ ଜୋହାନ ଘରେ ପହଞ୍ଚିନଥିବା ତାଙ୍କ ଭିଣୋଇ ଷ୍ଟିଫେନ କହିଛନ୍ତି । ଏହା ଜଣାପଡ଼ିବା ପରେ ପୁଲିସ୍‌ ତାଙ୍କୁ ପୁଣି ଖୋଜିବା ଆରମ୍ଭ କରିଛି ।